ଜୟପାଟଣା : ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ କର୍ଲାକୋଟ ପିଏମ୍ ଶ୍ରୀ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଶ୍ରେଣୀ ବର୍ଜନ ସହ ଅନୁଷ୍ଠାନର ଗେଟ ସମ୍ମୁଖରେ ଧାରଣାରେ ଦୁଇଦିନ ଧରି ବସି ରହିଥିବା ଦୃଶ୍ୟ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଆଦିବାସୀ ବହୁଳ ବଡ଼ କର୍ଲାକୋଟ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ପିଏମ୍ ଶ୍ରୀ ବିଦ୍ୟାଳୟର ମାନ୍ୟତା ଦେଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲାଯାଇ ଛାତ୍ର ଛାତ୍ରୀଙ୍କ ଅଧୁରା ସ୍ୱପ୍ନକୁ ସାକାର କରିଥିବାରୁ ସରକାରଙ୍କ ପ୍ରତି ଅଂଚଳବାସୀ କୃତଜ୍ଞତା ଜଣାଇ ଥିଲେ । ବିଦ୍ୟାଳୟରେ ବାଟିକାରୁ ଆରମ୍ଭ କରି ଦ୍ଵାଦଶ ପର୍ଯ୍ୟନ୍ତ ଏକ ସୁନ୍ଦର ବାତାବରଣ ତିଆରି ହୋଇ ସାରିଥିବା ବେଳେ ଏବେ ଦୁଇ ଜଣ ଟିଜିଟିଙ୍କ ଅସ୍ଥାୟୀ ରୂପରେ ବଦଳିକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ସମସ୍ତ ଛାତ୍ରଛାତ୍ରୀ (ବାଟିକାରୁ ଦଶମ) ଶ୍ରେଣୀ ବର୍ଜନ କରି ଧାରଣାରେ ବସିଥିବା ଘଟଣା ଏଠାରେ ଶିକ୍ଷାପ୍ରେମୀଙ୍କୁ ନିରାଶ କରିଛି । ଚଳିତ ଶିକ୍ଷାବର୍ଷରେ ଦୁଇଜଣ ଶିକ୍ଷକଙ୍କ ସ୍ଥାନାନ୍ତର ପାଇଁ ପରିଚାଳନା କମିଟି କଳାହାଣ୍ଡି ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଅସ୍ଥାୟୀ ବଦଳିର ପୁନର୍ବିଚାର ପାଇଁ ଚିଠି ମାଧ୍ୟମରେ ଅନୁରୋଧ କରିଥିବାର ସଭାପତି ଲୋକନାଥ ରଣା ପ୍ରକାଶ କରିଛନ୍ତି । ଏସବୁ ସତ୍ତ୍ୱେ ବଦଳି ପାଇଁ ବାରମ୍ବାର ଚାପ ସୃଷ୍ଟି ହେଉଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମିଳିତ ଭାବରେ ଧାରଣରେ ବସିଥିବା ପ୍ରକାଶ କରିବା ସହ ନିର୍ଦ୍ଦେଶ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି ।
اترك تعليقاً
لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *